ଦରିଦ୍ରତା ପଙ୍କପୂର୍ଣ ଆବିଳ ଭିତରୁ
କମଳ କଳିକା ରୂପ ତୁମେ ଜ୍ଞାନଗୁରୁ।
କବିମଣ୍ଡଳାଧିଶ ହେ ଲଲାଟ ଚନ୍ଦନ
ପଶ୍ଚିମ ଓଡିଶା ସୂର୍ଯ୍ୟ ଭାରତୀ ନନ୍ଦନ।
ଗ୍ରନ୍ଥ ପୁରାଣରୁ କରି କୁସୁମ ଚୟନ
କରିଗଲ କାବ୍ୟରୂପି ମାଲ୍ୟର ନିର୍ମାଣ।
ନତ ନମ୍ର ସ୍ବଭାବର ଚରିତ୍ର ପ୍ରଦୀପ
ଜ୍ଞାନ ଗୁଣରେ ଔଜଲ୍ୟ ତେଜ ଦୀପ୍ତିମନ୍ତ।
ବିଭୁଚିନ୍ତନରେ ଚିତ୍ତ ମନ କରି ସ୍ଥିର
ଲେଖିଗଲ କାବ୍ୟମାଲ୍ୟ ଭକ୍ତି ବିଶ୍ବାସର।
ଜନ୍ମିଥିଲ ଶ୍ରାବଣର ଝଡି ବରଷାରେ
ଗଙ୍ଗାଧାର ଝରୁଥିଲା ତୁମ ସ୍ବାଗତରେ।
ଫୁଲହୋଇ ଫୁଟିଥିଲ ସେବତୀ କୋଳରେ
ଜ୍ଞାନଜ୍ୟୋତି ଜାଳିଦେଲ ଚୈତନ୍ୟ କୁଟିରେ।
ଶାନ୍ତା ପତ୍ନୀ ପ୍ରେମଭକ୍ତି ଗୁଣରେ ନିପୁଣା।
ତ୍ୟାଗମୟୀ ସହିଷ୍ଣୁ ସେ ପ୍ରୀତିପ୍ରବଣା।
ଦଇକନ୍ୟା ଦୁଇପୁତ୍ର ଉତ୍ସର୍ଗିତ କରି
ଏକାକରି ଚାଲିଗଲା ସିଏ ଆରପାରି।
ବୀରହରେ ଜର୍ଜରିତ ତୁମରି ସ୍ମୃତିରେ
ଚାଲିଲା ଲେଖନୀ ଦୃତ ତାର ବିଚ୍ଛେଦରେ।
ତପସ୍ବିନୀର ବୀରହ ଭାବନା ଉଦ୍ରେକ
ତୁମ ପ୍ରେମ ଭାବନାର ଏ ଅଟେ ସନ୍ତକ।
ଚମ୍ପା ଆସିଲେ ଦ୍ବିତୀୟ ସ୍ତ୍ରୀର ରୂପରେ।
ପରିବାର ପ୍ରତିପୋଷଣର ଦାୟିତ୍ବରେ।
ସରସ୍ବତୀଙ୍କର ହାତ ଧରିଥିଲ ବୋଲି
ଅଭାବ ଚିରସାଥି ଲକ୍ଷ୍ମୀଙ୍କ ବଇରୀ।
ଦୃଢ ମନୋବଳେ ସବୁ କରି ପ୍ରତିହତ
ସ୍ଥିତପ୍ରଜ୍ଞ ରହି ତୁମେ ଲେଖୁଥିଲ ଗିତ।
ଏକ ଏକ କରି କଲ କାବ୍ୟର ନିର୍ମାଣ
ଆଦର କରନ୍ତି ଦେଶ ବିଦେଶର ଜନ।
ଅହଲ୍ୟାସ୍ତବକ ଇନ୍ଦୁମତୀ ତପସ୍ବିନୀ
ଉତ୍କଳଲକ୍ଷ୍ମୀ ପ୍ରଣୟବଲ୍ଲରୀ ପଦ୍ମିନୀ।
ରସରତ୍ନାକର କୀଚକବଧ ଅର୍ଘ୍ୟଥାଳି
କୃଷକ ସଂଗିତ କବିତାକଲ୍ଲୋଳର ମାଳି।
ଅଯୋଧ୍ୟାଦୃଶ୍ୟ ମହିମା କବିତାମାଳା ମଧୁମୟ
ବିଶ୍ବଜୀବନ କବିତା ଭକ୍ତିଗୁଣେ ଅଦ୍ବିତୀୟ।
ପ୍ରକୃତି ରୂପ ଚିତ୍ରଣେ ତୁମେ ପାରଙ୍ଗମ
ରାମସୀତା ଚରିତ୍ର ଚିତ୍ରଣ ଅନୁପମ।
ମଧୁମୟ ଭକ୍ତିଅର୍ଘ୍ୟ କବିତା ଉତ୍ତମ
ଜନମନ ଟାଣିନିଏ ତୁମର କଲମ।
ଚିରଅମର ରହିଛ ତୁମେ ପ୍ରତିହୃଦେ
ତୁମ ଗୁଣ ରାଜି ସ୍ମରି ଏ ଜଗତ କାନ୍ଦେ।