ଭାଷା ବଦଳୁଥାଏ
ଓଡ଼ିଆ ସାହିତ୍ୟ
ସ୍ଥାନ କାଳ ଓ ପାତ୍ର ଘେନି
ଭାଷା ବଦଳୁଥାଏ ଜାଣି
ତହିଁରେ ଖଂଜିଲେ ଔଚିତ୍ୟ
............ଖଞ୍ଜିଲେ .........
କେବେ ବି ହୁଏନାହିଁ ସତ୍ୟ
ପିଲା , ବୁଢା ଓ ସୁଶିକ୍ଷିତ
ସଭିଏଁ ପୋଷି ସମ ମତ
କହିବେ ଲେଖିବେ ଉଚିତ
ଏହି ଧାରଣା ସତ୍ୟଚ୍ୟୁତ
ନିଜ ଦକ୍ଷତା ଅନୁଯାୟୀ
ସଭିଏଁ ଲେଖି ଆଉ କହି
କରଂତି ଭାଷା ବ୍ୟବହାର
କରନ୍ତି ...... ...........
ହାନି ତ ହୁଏନି ଭାଷାର
ଭାଷାର ରୂପ ନୁହେ ସ୍ଥିର
ଏବେ ବି ଚାଲିଛି ସଂସ୍କାର
ବହୁମୁଖୀ ବିଭିନ୍ନ ନୀତି
ସ୍ଥଗିତ କରୁଛି ପ୍ରଗତି
ଭାଷାର ବିଭିନ୍ନ ପ୍ରକାର
ବୋହିଚାଲିଛି ନିରଂତର
..... ....... ... ନିରନ୍ତର
ସମଗ୍ର ଭାଷାର ବିଚାର
ନୁହଇ ଦାୟିତ୍ବ କାହାର
ଭାଷାଂଶ କରି ଅଧ୍ୟୟନ
ଚାଲୁ ଏଣିକି ବିଶ୍ଳେଷଣ
ତହିଁରୁ ପ୍ରାପ୍ତ ସବୁ ଜ୍ଞାନ
ସଭିଙ୍କୁ..... .... .....
ସଭିଂକୁ କରିବା ଅର୍ପଣ
ଧାରଣା ଆଉ ଅନୁମାନ
ପରଖି ବୁଝୁଁ ଘନ ଘନ
ତହିଁରୁ ସଂଜାତ ବିଜ୍ଞାନ
ଆଚ୍ଛନ୍ନ କରୁ ଜନମନ
ଏ ନୁହେ ବ୍ୟକ୍ତିଗତ କାମ
ଲୋଡ଼ା ସମୂହ ପରିଶ୍ରମ
ରଖିବା ଭାଷାର ମହତ୍ତ୍ୱ
ହୋଇ ନିର୍ଭୟ ଦୃଢ଼ଚିତ୍ତ
ଆମେ ତ ଶ୍ରୋତା ଆଉ ଦ୍ରଷ୍ଟା
ନୋହୁଁ କଦାପି ଭାଷା ସ୍ରଷ୍ଟା
ଅଯଥା କରିଲେ ପ୍ରଚେଷ୍ଟା
ବ୍ୟାହତ ହୁଏ ମୂଳ ନିଷ୍ଠା
ଆମେ ତ ଭାଷାର ସେବକ
ଶବ୍ଦାବଳିର ସଂଗ୍ରାହକ
କିପାଇଁ ହେବା ନିର୍ଧାରକ
ଥିଲେ ବି କୋଟି କୋଟି ଲୋକ
ସେମାନେ ସଭିଏଁ ସମର୍ଥ
କେହି ବି ହୁଏନାହିଁ ବ୍ୟର୍ଥ
ସଭିଏଁ ହୋଇ ସହଭାଗୀ
ସ୍ବଭାଷା ସହ ରହୁଁ ଲାଗି
ଏ ଭାଷା ଅଟେ ବିକଶିତ
ଅନେକ ତତ୍ତ୍ବ ସଂବଳିତ
ପିଲାଏ ଆମ ଭବିଷ୍ଯତ
ରହଂତୁ ସ୍ବଭାଷା ସହିତ
ଲିପି ଶିକ୍ଷଣ ହେଉ ଦ୍ରୁତ
ପିଲାଂକୁ ନ କରୁଁ ବିରକ୍ତ
ଏ ଭାଷା ହୋଇବ ଆଦୃତ
ଭାଷୀଏ ହେବେ ଉପକୃତ
ପରଂପରାରେ ସଂଶୋଧନ
କରିଲେ ଆମ ଭାଷା ଜ୍ଞାନ
ହୋଇବ ଶୁଦ୍ଧ ଓ ନିର୍ମଳ
ଲୋକେ ପାଇବେ ଆତ୍ମବଳ
ପ୍ରଫୁଲ୍ଲ କୁମାର ତ୍ରିପାଠୀ