ଜ୍ଞାନବାହୀ ଭାଷା
ମତ ଧାରଣା ନୁହେ ଜ୍ଞାନ
ବିଶ୍ବାସ ରୁଚି ନୁହେ ଜ୍ଞାନ
ଜ୍ଞାନକୁ ଭଲଭାବେ ଚିହ୍ନି
ନ ଥିଲେ, ହୁଏନାହିଁ ମାନି
ଜ୍ଞାନ କେବେ ବି ନୁହେ ସ୍ଥିର
ବଦଳୁଥାଏ ବାରଂବାର
ଗ୍ରହଣଶୀଳ ହେଲେ ଲୋକ
ପାଆଂତି ସ୍ବଚ୍ଛ ଜ୍ଞାନାଲୋକ
ଜ୍ଞାନର ହୋଇଲେ ପ୍ରସାର
ଉନ୍ନତ ହୁଏ ଏ ସଂସାର
ଏହି ସତ୍ୟକୁ ମନେ ରଖି
ଜ୍ଞାନକୁ ଧରିଥାଉଁ ଟେକି
ଶୁଦ୍ଧ ଜ୍ଞାନର ଅବସ୍ଥିତି
ସକାଶେ ମନୁଷ୍ୟର ମତି
ହୁଅଇ ବଳଶାଳୀ ସ୍ଥିର
ସୁଖ ଆନଂଦ ଭରପୂର
ଜ୍ଞାନକୁ ନ କଲେ ଆଦର
ତା ଆପେ ହୋଇଯାଏ ଦୂର
ସ୍ବେଚ୍ଛାରେ ଆସେନାହିଁ ପଶି
ନୁହଇ ଏତେ ଦୁଃସାହସୀ
ଜ୍ଞାନ ସଂଧାନ ପରି କଷ୍ଟ
ନ କରି ଯିଏ ହୁଏ ଦୁଷ୍ଟ
ତାହାର ଧାରଣା ଅସ୍ପଷ୍ଟ
ବିଚାର ହୋଇଥାଏ ଭ୍ରଷ୍ଟ
ଏପରି ବ୍ୟକ୍ତିର ପ୍ରଭୁତ୍ବ
ସ୍ବୀକାର କରିଲେ ମହତ୍ତ୍ବ
ନିଶ୍ଚିତ ହୋଇଥାଏ ହାନି
ସଭିଏଁ ବୁଝୁଁ ଏହା ଜାଣି
ଜ୍ଞାନର ଅଦ୍ଭୁତ ଚରିତ୍ର
ଲୋଡ଼େ ତା ମଥାଟିଏ ମାତ୍ର
ମଥାର କଥା ଶୁଣେ ବିଶ୍ବ
ହୁଅଇ ସମୃଦ୍ଧି ସର୍ବସ୍ବ
ଜ୍ଞାନର ଏହି ସ୍ଥାୟୀ ଧାରା
ଆମ ସଂସ୍କୃତି ପରଂପରା
ରୂପ ତାହାର ଶତାଧିକ
ହେଲେ ହେଁ ଗୁଣ ଅଟେ ଏକ
ଭାଷାଟେ ହେଲେ ଜ୍ଞାନବାହୀ
ଅଧିକ କାଳ ଥାଏ ରହି
କରିଲେ ଜ୍ଞାନ ବିସର୍ଜନ
ଘଟେ ଭାଷାର ଅବସାନ
ଭାଷା କେବଳ ଏକ ଯାନ
ତହିଁରେ ଜ୍ଞାନ ଆରୋହଣ
କରି ହୁଏ ସୁଦୂରବ୍ୟାପୀ
ନିଶ୍ଚିହ୍ନ ନ ହୁଏ କଦାପି